⛓ ବ୍ଲକ୍‌ଚେନ୍‌ (Blockchain)

ସେସବୁ ଠିକ୍ ଯେ, ହେଲେ ଏ ବ୍ଲକ୍‌ଚେନ୍‌ କ'ଣ?

ମନରେ ପ୍ରଶ୍ନ ❓ଓ ଏକ ଜିଜ୍ଞାସୁ 🧐 ମନୋଭାବ ନେଇ ଏଠାକୁ ଆସିଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ 🙏🏼 । ଏହି ଲେଖା ମଝିରେ କୌଣସି ସ୍ଥାନରେ କିଛି ଶବ୍ଦ ବୁଝିନପାରିଲେ ଏହି ଲେଖା ଶେଷରେ ଶବ୍ଦକୋଷରେ ମୁଁ କିଛି ଜଟିଳ ଶବ୍ଦର ଅର୍ଥ ବ୍ୟାଖ୍ୟା କରିଛି, ତାହା ଦେଖିପାରିବେ ।

ସଂକ୍ଷେପରେ କହିବାକୁ ଗଲେ ବ୍ଲକ୍‌ଚେନ୍‌ ହେଉଛି ଏକ ଆବଣ୍ଟିତ, ସ୍ୱଚ୍ଛ ଏବଂ ସୁରକ୍ଷିତ କାରବାର ଖାତା ।

ମୁଁ ବ୍ଲକ୍‌ଚେନ୍‌ ବିଷୟରେ ଜାଣି କ'ଣ କରିବି 🤷🏻‍♂️?

  • ଆପଣ ଏହି ଲେଖା ପଢ଼ୁଛନ୍ତି📖 ଅର୍ଥାତ, ଆପଣ ଇଣ୍ଟରନେଟ ଉପଯୋଗ କରୁଛନ୍ତି । ଇଣ୍ଟରନେଟରେ କ'ଣ/କାହିଁକି ପରିବର୍ତ୍ତନ ହେବାକୁ ଯାଉଛି ତାହା ଜାଣିବା ପାଇଁ ଆଗକୁ ପଢ଼ନ୍ତୁ ।
  • ୱେବ ୧.୦ (ଇଣ୍ଟରନେଟରେ ଆପଣ କେବଳ ତଥ୍ୟ ପଢ଼ିପାରୁଥିଲେ, କିଛି ଲେଖି ପାରୁନଥିଲେ) ଏବଂ ୱେବ ୨.୦ ରେ (ବର୍ତ୍ତମାନର ଇଣ୍ଟରନେଟ, ଯେଉଁଠି ପଢ଼ିବା ସହ ନିଜ ଲେଖା, ଭିଡିଓ ଓ କଥାବାର୍ତ୍ତା ୱେବସାଇଟ କିମ୍ବା ମୋବାଇଲ ଆପ୍ ରେ ପ୍ରକାଶ କରିପାରୁଛନ୍ତି), ୱେବ ୩.୦ ବର୍ତ୍ତମାନ ଆରମ୍ଭ ହେଉଛି, ଏଥିରେ ବହୁତ ସୁଯୋଗ ରହିଛି । ବିଶ୍ବସ୍ତରରେ ଲୋକମାନେ ଏହାକୁ ଉପଯୋଗ କରି ମେଟାଭର୍ସ, ଏନଏଫଟି, ଡାପ୍ସ ଇତ୍ୟାଦି ପ୍ରାରମ୍ଭ କରିଦେଲେଣି, ଯେତେଶୀଘ୍ର ଆମେ ଏ ବିଷୟରେ ଜାଣି ଆପଣେଇବା ସେତେ ଆଗକୁ ଯାଇପାରିବା ।
  • ବିଟ୍‍କଏନ୍ , ଇଥେରିଅମ୍ ଏବଂ ଅନ୍ୟାନ୍ୟ କ୍ରିପ୍ଟୋକରେନ୍ସି ଗୁଡ଼ିକ ଏହି ବ୍ଲକ୍‌ଚେନ୍‌ ପ୍ରଯୁକ୍ତି ଉପରେ ପର୍ଯ୍ୟବେସିତ ।
  • ଏବେ ଲୋକମାନେ ଭିଡିଓ କଲ କରି ଦୂରରେ ଥିଲେ ମଧ୍ୟ ପରସ୍ପରକୁ ଦେଖି କଥାବାର୍ତ୍ତା ହେଇପାରୁଛନ୍ତି, ଭବିଷ୍ୟତରେ ସାଧାରଣ ଲୋକେ ମେଟାଭର୍ସରେ ପରସ୍ପର ମଧ୍ୟରେ କଥାବାର୍ତ୍ତା (ଏବଂ ଅନ୍ୟାନ୍ୟ ବହୁତ କିଛି ) ହେବେ, ଏହି ପ୍ରଯୁକ୍ତି ପଛରେ ମଧ୍ୟ ବ୍ଲକ୍‌ଚେନ୍‌ ରହିଛି ।
  • ଧରନ୍ତୁ ଏସବୁ ଆପଣଙ୍କର ଆଦୌ ପସନ୍ଦ ହଉନି, କିନ୍ତୁ ଟିକେ ଜାଣିଦେବାରେ କ୍ଷତି କ'ଣ? ବ୍ଲକ୍‌ଚେନ୍‌ ବିଷୟରେ ଖଟିରେ, ସ୍କୁଲ, କଲେଜ କି ଘରେ ଦି'ପଦ କିଏ ପଚାରିଲେ କହି ତ ପାରିବେ ।
  • ତା'ଛଡ଼ା ଆଗକୁ ମୁଁ ବିଟ୍‍କଏନ୍, ୱେବ ୩.୦ ବିଷୟରେ ଲେଖା ପ୍ରକାଶ କରିବି, ସେସବୁ ବୁଝିବା ପାଇଁ ବ୍ଲକ୍‌ଚେନ୍‌ ର ଏହି ମୂଳଦୁଆ ଦୃଢ଼ କରିବା ନିହାତି ଆବଶ୍ୟକ । ଚାଲନ୍ତୁ ଆରମ୍ଭ କରିବା ।

🙏🏼 ଜୟ ଜଗନ୍ନାଥ 🙏🏼

👉🏼 ଉପକ୍ରମ

🤔 ଇଣ୍ଟରନେଟ ଓ ତାହାର ସମସ୍ୟା

image.png

  • କମ୍ପ୍ୟୁଟରରେ ଆମେ ଗାଣିତିକ କାର୍ଯ୍ୟ କରୁ । କଠିନରୁ କଠିନତମ ଗାଣିତିକ କାମ କମ୍ପ୍ୟୁଟର ଆଖି ପିଛୁଳାକେ କରିଦିଏ । କିଛି କାମ ଏହିପରି ଥାଏ ସେହି ଗଣନାଙ୍କ ହିସାବ ଦୀର୍ଘସ୍ଥାୟୀ ରଖିବାକୁ ପଡ଼େ, ଯାହାକୁ ଆମେ ପରେ ଉପଯୋଗ କରୁ । ଯେଉଁଠାରେ ଆମେ ଏହାକୁ ରଖୁ ତାହାକୁ (ମୋଟାମୋଟି ଭାବରେ) ସ୍ମୃତିକୋଷ/ମେମୋରୀ (Hard-disk memory) କୁହାଯାଇଥାଏ ।
  • ଯେପରି ଆମ ଘରକୁ ବିଦ୍ୟୁତ ଆଣିବା ପାଇଁ ଆମକୁ ବିଦ୍ୟୁତ ଖୁଣ୍ଟି ସହିତ ସଂଯୋଗ କରିବାକୁ ପଡ଼େ, ସେହିପରି ଅନ୍ୟ କମ୍ପ୍ୟୁଟରରୁ ତଥ୍ୟ ନେବା ଆଣିବା କରିବା ପାଇଁ ନିଜକୁ ଇଣ୍ଟରନେଟ ଦ୍ୱାରା ସଂଯୋଗ କରିବାକୁ ପଡ଼ିଥାଏ ।
  • କମ୍ପ୍ୟୁଟର ମେମୋରୀରେ ଥିବା ତଥ୍ୟକୁ ସଜାଡ଼ି ରଖିବା ପାଇଁ ବିଭିନ୍ନ ଡାଟାବେସ ସଂରଚନା କରାଯାଇଛି ଯେପରି MySQL, MongoDB, ଇତ୍ୟାଦି ।

AWS-data-center-location-map.jpg ଆମାଜନ ୱେବ ସର୍ଭିସେସର (AWS) ପୃଥିବୀସାରା ଥିବା ଡାଟା ସେଣ୍ଟରଗୁଡ଼ିକର (ଯେଉଁଠାରେ ବହୁତ ଡାଟାବେସ ଥାଏ) ମାନଚିତ୍ର

  • ଓଡ଼ିଶାରେ ବିଦ୍ୟୁତ⚡️ ତିଆରି ହୁଏ କେଉଁଠି ମୁଖ୍ୟତଃ ତାଳଚେର କିମ୍ବା ହୀରାକୁଦ ଚିପିଲିମାରେ, ସେହିପରି ଇଣ୍ଟରନେଟର ଅଧିକାଂଶ ୱେବସାଇଟ ତଥ୍ୟ ମୁମ୍ବାଇ (ଗୋଟିଏ AWS ଡାଟା ସେଣ୍ଟର) କିମ୍ବା ଅନ୍ୟାନ୍ୟ ଦେଶରେ ରଖାଯାଇଥାଏ ।
  • ଏକ ଉଦାହରଣ ଦ୍ୱାରା ବୁଝିବା: ଆମେ ଆମ ବ୍ରାଉଜରରେ youtube.com ୱେବସାଇଟ ଖୋଲିଲେ, ଆମ ବ୍ରାଉଜରଟି ଏହି ୱେବସାଇଟକୁ ରଖିଥିବା କମ୍ପ୍ୟୁଟରର ଡାଟାବେସରୁ ତଥ୍ୟ ଆଣି ଆମକୁ ଦେଇଥାଏ । ୟୁଟ୍ୟୁବର ଏହି ଭିଡିଓ ତଥ୍ୟ, କେବଳ ୟୁଟ୍ୟୁବଦ୍ୱାରା ଗଠିତ ଡାଟାବେସରେ ସଂରକ୍ଷିତ ରହିଥାଏ ।
  • ଧରନ୍ତୁ ଆପଣ ୟୁଟ୍ୟୁବରେ କୌଣସି ଭିଡିଓ🎥 ଅପଲୋଡ଼ କରିଛନ୍ତି, ୟୁଟ୍ୟୁବ ଚାହିଁଲେ ଆପଣଙ୍କ ଭିଡିଓକୁ ଖରାପ କହି ମନଇଛା ବିଲୋପ କରିପାରିବ କିମ୍ବା ୟୁଟ୍ୟୁବର ଡାଟାବେସ ବିଲୋପ ହେଇଗଲେ, ଆପଣଙ୍କର ବହୁ କଷ୍ଟରେ ନିର୍ମିତ୍ତ ଭିଡିଓ ମଧ୍ୟ ସବୁଦିନ ପାଇଁ ନଷ୍ଟ ହୋଇଯିବ । 😰
  • ଏଠାରେ ୟୁଟ୍ୟୁବର ଡାଟାବେସ ହେଉଛି ବିଫଳତାର ଏକକ ବିନ୍ଦୁ (single point of failure) 🤨। ୟୁଟ୍ୟୁବ ପାଖରେ ଏବେ କ୍ଷମତା କେନ୍ଦ୍ରୀଭୂତ, ଭିଡିଓ ଦୁନିଆର ସେ ରାଜା ; କାଲି ଯଦି ସେ କାଉ🕊 ଧଳା କହି ନିଜ ୱେବସାଇଟରେ ସବୁ କଳା କାଉ ଭିଡିଓ ଡିଲିଟ କରିଦିଏ, କଡ଼ା ନିନ୍ଦା ଛଡ଼ା କେହି କିଛି କରିପାରିବେନି ।
  • ଏଠାରେ ୟୁଟ୍ୟୁବ ଉପରେ ମୋର କିଛି ଆରୋପ ନାହିଁ ବରଂ ଏକ ଉଦାହରଣ ସ୍ୱରୂପ ନିଆଯାଇଛି, ୟୁଟ୍ୟୁବ ଜାଗାରେ ଆମେ ଆମାଜନ, ଆପଲ, ଇନ୍ସଟାଗ୍ରାମ୍ , ଗୁଗଲ, ହ୍ଵାଟ୍ସଆପ, ଜିଓ ଇତ୍ୟାଦି ମଧ୍ୟ ଉଦାହରଣ ସ୍ୱରୂପ ନେଇପାରିବା ।
  • ଆମ ଉଦାହରଣ ସହିତ ଏହାକୁ ସମ୍ପର୍କିତ କଲେ, ବିଦ୍ୟୁତ ସବ-ଷ୍ଟେସନରୁ ବିଦ୍ୟୁତ କାଟିଦେଲେ ଆମ ଘର ଅନ୍ଧାର । ବିଦ୍ୟୁତ ସବ-ଷ୍ଟେସନ ଉପରେ ଆମେ ଅତ୍ୟଧିକ ନିର୍ଭର କରୁଛୁ ।
  • ଏଥିରୁ କ'ଣ ଜଣାପଡ଼ିଲା? ବର୍ତ୍ତମାନର ଇଣ୍ଟରନେଟରେ ଆମ ତଥ୍ୟର ମାଲିକ ଆମେ ନୁହଁ । ଏହି ସମସ୍ୟାରୁ ସମାଧାନ କରୁଛି ବ୍ଲକ୍‌ଚେନ୍‌ ପ୍ରଯୁକ୍ତି (technology) ।

🔗 ବ୍ଲକ୍‌ଚେନ୍‌

  • ବ୍ଲକ୍‌ଚେନ୍‌ ହେଉଛି ଏଭଳି ଏକ ତଥ୍ୟଭଣ୍ଡାର ବା ଡାଟାବେସ ଯେଉଁଠାରେ ତଥ୍ୟ ସ୍ୱଚ୍ଛ (ସର୍ବସାଧାରଣରେ ସମସ୍ତ ବ୍ଲକ୍‌ଚେନ୍‌ କାରବାର ତଥ୍ୟ ପ୍ରକାଶିତ ହୁଏ), ଆବଣ୍ଟିତ ଏବଂ ଅପରିବର୍ତ୍ତନଶୀଳ ଅବସ୍ଥାରେ ରଖାଯାଏ ।
  • ଉଦାହରଣ ସ୍ୱରୂପ ବ୍ଲକ୍‌ଚେନ୍‌ ଆପଣଙ୍କର ମୋବାଇଲ📱 ହେଲେ , ବିଟ୍‍କଏନ୍ , ଇଥେରିଅମ୍ ଇତ୍ୟାଦି ହେଉଛନ୍ତି ଏହାର ଏକ ଏକ ଆପ/ଆପ୍ଲିକେସନ, ୟୁଟ୍ୟୁବ, ଟିକଟକ ଇତ୍ୟାଦି ପରି ।
  • ବିଟ୍‍କଏନ୍ ନେଟୱର୍କରେ ହେଉଥିବା ସମସ୍ତ କାରବାର ଆପଣ ଏଠାରେ ଦେଖିପାରିବେ ।

Bitcoin-nodes.png ପୃଥିବୀସାରା ବିଛେଇ ହୋଇଥିବା ବିଟ୍‍କଏନ୍ ର ବ୍ଲକ୍‌ଚେନ୍‌ ଡାଟାବେସର ଗୋଟିଏ ମାନଚିତ୍ର । ସୂତ୍ର

  • ବ୍ଲକ୍‌ଚେନ୍‌ ଡାଟାବେସ ପୃଥିବୀସାରା ଅବସ୍ଥିତ ଅନେକଗୁଡ଼ିଏ କମ୍ପ୍ୟୁଟରରେ 🖥 ଚାଲିଥାଏ, ଏହି କମ୍ପ୍ୟୁଟରଗୁଡ଼ିକୁ ନୋଡ (node) କୁହାଯାଏ । ଏହି କମ୍ପ୍ୟୁଟରର ବ୍ୟବହାରକାରୀଙ୍କୁ ମାଇନର (miner) କୁହାଯାଏ ଯେଉଁମାନେ ମାଇନିଂ (mining) କରନ୍ତି ।
  • ଏହି ନାମକରଣ ବିଟ୍‍କଏନ୍ କୁ ସୁନା🥇 ସହିତ ତୁଳନା କରିଦିଆଯାଇଛି । ନୂତନ ସୁନା ବା କାଞ୍ଚନକୁ ଯେପରି ମାଟିରୁ ଖୋଳିବାକୁ ⛏ ପଡ଼େ, ସେହିପରି ନୂଆ ବିଟ୍‍କଏନ୍ ପାଇଁ ହେଉଥିବା ପ୍ରକ୍ରିୟାକୁ ମାଇନିଂ ଅର୍ଥାତ ଖୋଳିବା କୁହାଯାଇଥାଏ ।
  • ମାଇନର ବା ଖୋଦନକାରୀ ମାନଙ୍କୁ ବ୍ଲକ୍‌ଚେନ୍‌ ଡାଟାବେସ ତଥ୍ୟ ଯାଞ୍ଚ ତଦାରଖ କରିବାପାଇଁ ଅନୁକମ୍ପା ରାଶି ମିଳିଥାଏ । ମାଇନରମାନେ ବିଟ୍‍କଏନ୍ ର ମେରୁଦଣ୍ଡ ଅଟନ୍ତି ।
  • ବ୍ଲକ୍‌ଚେନ୍‌ରେ ତଥ୍ୟ ଜଣେ ଦୁଇ ଜଣଙ୍କ ପାଖରେ ନରହି ବହୁତ ଜଣଙ୍କ ପାଖରେ ବିଛେଇ ହୋଇ ରହିଥାଏ । ଏହା ଫଳରେ ଏହାମଧ୍ୟରେ ଥିବା ତଥ୍ୟ ଉପରେ କାହାର ଏକଚାଟିଆ ଶାସନ ନଥାଏ ।
  • ବ୍ଲକ୍‌ଚେନ୍‌ ହେଉଛି ଆବଣ୍ଟିତ ସୌରଶକ୍ତି ଭଳି, ସମସ୍ତେ ନିଜ ଘର ଛାତ ଉପରେ ସୌର ପ୍ୟାନେଲ ଲଗାଇବେ , ନିଜର ବୈଦିତୁକ ଚାହିଦା ପୂରଣ ହେଲାପରେ ବଳକା ବିଦ୍ୟୁତ, ବିଦ୍ୟୁତଗ୍ରୀଡକୁ ଫେରାଇଦେବେ । ସବ-ଷ୍ଟେସନ ଉପରେ ଆମକୁ ଏତେ ନିର୍ଭର କରିବାକୁ ପଡ଼ିବନି ।

✅ ବ୍ଲକ୍‌ଚେନ୍‌ ବୈଶିଷ୍ଟ୍ୟ

  • ଏବେ ବ୍ଲକ୍‌ଚେନ୍‌ ବିଷୟରେ ଆମେ ଟିକେ ଭଲ ସେ ବୁଝିବା, କଣ କଣ ସବୁ ଏହାଦ୍ୱାରା ହୋଇପାରିବ ।

📝 ହିସାବ ଖାତା (ledger)

ledger.jpg

  • ଯେପରି ଗୁମାସ୍ତା ବାବୁ ତାଙ୍କ ହିସାବ ଖାତାରେ କିଏ କେତେ ଟଙ୍କା କେବେ ନେଲା ଲେଖି ରଖନ୍ତି, ସେହିପରି ବ୍ଲକ୍‌ଚେନ୍‌ ଡାଟାବେସରେ ମାଇନରମାନେ ଗୋଟି ଗୋଟି ହିସାବ କାରବାର ଚିଠା କରି ରଖିଥାନ୍ତି ।
  • କେହିଯଦି ବ୍ଲକ୍‌ଚେନ୍‌ ରେ ଭୁଲ ତଥ୍ୟ ଦେଇ ଗୋଳମାଳ କରିବାକୁ ଚେଷ୍ଟା କରନ୍ତି, ସେସବୁ ଚିଠାରେ ଲେଖାଯାଇଥାଏ ।

🧞‍♂️ ଦୀର୍ଘସ୍ଥାୟୀ

queen-63006_640.jpg

ଏହା ଏକ ଦୀର୍ଘସ୍ଥାୟୀ ଡାଟାବେସ ଅଟେ, ଥରେ ଏଥିରେ ଏକ କାରବାର ଲିଖିତ ହୋଇଗଲେ, ଏହାକୁ ବିଲୋପ କିମ୍ବା ପରିବର୍ତ୍ତନ କରିବା ଅସମ୍ଭବ ।

🔐 ସୁରକ୍ଷିତ

cyber-security-2296269_640.jpg

  • କିଏ କାହା ସହିତ କାରବାର କଲା ଓ ଅନ୍ୟାନ୍ୟ ତଥ୍ୟଗୁଡ଼ିକ ଏକ ଜଟିଳ ଗାଣିତିକ ହ୍ୟାଶ୍ ଫଳନ ଦ୍ୱାରା ସୂଚିତ କରାଯାଇଥାଏ ।

⏰ ସାମୟିକ

image.png ପାଖାପାଖି ପ୍ରତି ୧୦ ମିନିଟରେ ବିଟ୍‍କଏନ୍ ବ୍ଲକ୍‌ ତିଆରି ହେଉଥିବାର ଏକ ଦୃଶ୍ୟ - ଉତ୍ସ

  • କିଛି ଏକ ହାରାହାରି ସମୟ ପରେ ଏକ ନୂଆ ବ୍ଲକ୍‌ (ନିମ୍ନରେ ଭଲ ସେ ବୁଝାଯାଇଛି), ବ୍ଲକ୍‌ଚେନ୍‌ ରେ ଯୋଡ଼ି ହୋଇଥାଏ ।
  • ଏହି ନୂତନ ବ୍ଲକ୍‌ରେ ଏହାର ପୂର୍ବ ବ୍ଲକ୍‌ ର ସୂଚକ ରହିଥାଏ, ତେଣୁ ଯେତେ ସମୟ ଅତିକ୍ରମ କରିଚାଲେ ନୂଆ ନୂଆ ବ୍ଲକ୍‌, ବ୍ଲକ୍‌ଚେନ୍‌ ରେ ଯୋଡ଼ି ହୋଇଚାଲେ, ତେଣୁ ପୁରୁଣା ବ୍ଲକ୍‌ରେ କୌଣସି କାରବାରରେ ପରିବର୍ତ୍ତନ କରିବା ସେତେ କଷ୍ଟକର ହୋଇଯାଏ ।

🛠 ଗଠନ ଓ ସଂରଚନା

🧊 ବ୍ଲକ୍‌

  • ଯେପରି କିଛି ଗ୍ରାମକୁ ନେଇ ବ୍ଲକ ଗଠନ ହୁଏ, ସେହିପରି କିଛି କାରବାର (transaction)କୁ ନେଇ ଏକ ବ୍ଲକ୍‌ ତିଆରି ହୋଇଥାଏ ।
  • ଉଦାହରଣ ସ୍ୱରୂପ ଏକ ବିଟ୍‍କଏନ୍ ବ୍ଲକ୍‌ ରେ ପାଖାପାଖି ୧୦୦୦ରୁ ୨୫୦୦ କାରବାରର ତଥ୍ୟ ରହିଥାଏ ।

block.png

  • ଉପରୋକ୍ତ ଛବିରେ ଥିବା ବ୍ଲକ୍‌ ରେ ବ୍ଲକ୍‌ ର ନାମ ଏକ କ୍ରିପ୍ଟୋଗ୍ରାଫିକ ହ୍ୟାଶ୍ ଦ୍ୱାରା ପ୍ରସ୍ତୁତ ହୋଇଛି ।
  • ଉଦାହରଣ ସ୍ୱରୂପ ୨୦୨୨ ମସିହାର ପ୍ରଥମ ବିଟ୍‍କଏନ୍ ବ୍ଲକ୍‌ ଦେଖିବା ପାଇଁ ଏଠାରେ କ୍ଲିକ କରନ୍ତୁ ।
  • ଗୋଟିଏ ହ୍ୟାଶ୍ ପ୍ରସ୍ତୁତିର ଉଦାହରଣ ନିମ୍ନରେ ପାଇଥନ ପ୍ରୋଗ୍ରାମରେ ଦିଆଯାଇଛି:
from hashlib import sha256

କାରବାର = "ପ୍ରତୀକ ବାବୁ ମନୀଷଙ୍କୁ ୧୦୦୦ ଟଙ୍କା ଦେଲେ"
କାରବାର = କାରବାର.encode("utf-8")
ହ୍ୟାଶ୍ = sha256(କାରବାର).hexdigest()
print(ହ୍ୟାଶ୍)
85a25b484e806b305e641e45bfc0681e6321a497f1afbfc9238c586bb6abbb0b

ଧରନ୍ତୁ କେହି ଆସି କାରବାର ତଥ୍ୟକୁ ପରିବର୍ତ୍ତନ କରିଦିଅନ୍ତି, ତେବେ ଏହି କାରବାରର ହ୍ୟାଶ୍ ସୂଚକ ପୁରା ପରିବର୍ତ୍ତନ ହୋଇଯିବ । ଏହାକୁ ପରେ ମର୍କେଲ ଟ୍ରି ଡାଟା ଷ୍ଟ୍ରକ୍ଚର ଦ୍ୱାରା ଧରା ପକାଯାଇପାରିବ ।

କାରବାର = "ପ୍ରତୀକ ବାବୁ ମନୀଷଙ୍କୁ ୧୦୦୦୦ ଟଙ୍କା ଦେଲେ"
କାରବାର = କାରବାର.encode("utf-8")
ହ୍ୟାଶ୍ = sha256(କାରବାର).hexdigest()
print(ହ୍ୟାଶ୍)
916c09ce430b83de0349c96d2118c99aeba22d034e98bcc16792b82e9daea0e0

ମର୍କେଲ ଟ୍ରି ଦ୍ୱାରା କିଭଳି ଏହାକୁ ନିରୀକ୍ଷଣ ହୁଏ ତାହା ଆମେ ପରବର୍ତ୍ତୀ ଲେଖାରେ ଶିଖିବା ।

⛓ ଚେନ୍‌

chain-of-blocks.png

  • ସମସ୍ତ ବ୍ଲକ୍‌ ରେ ତାର ପୂର୍ବବର୍ତ୍ତୀ ବ୍ଲକ୍‌ ର ସୁଚକାଙ୍କ (ବା ହ୍ୟାଶ୍ ଫଳନ) ରହିଥାଏ ।
  • ଯେହେତୁ ପ୍ରଥମ ବ୍ଲକ୍‌ ପୂର୍ବରୁ ଆଉ କୌଣସି ବ୍ଲକ୍‌ ନଥାଏ ଏହାକୁ ଜେନେସିସ (genesis) ବ୍ଲକ୍‌ କୁହାଯାଏ ଏବଂ ଏହାର ପୂର୍ବବର୍ତ୍ତୀ ବ୍ଲକ୍‌ ସୁଚକାଙ୍କ ନଥାଏ । - ଯେହେତୁ ଏହି ଡାଟାବେସ ବା ତଥ୍ୟ ଭଣ୍ଡାରରେ ଏକ କ୍ଷୁଦ୍ରତମ🤏🏼 ପଦାର୍ଥ ହେଉଛି ବ୍ଲକ୍‌ ଏବଂ ବ୍ଲକ୍‌ ଗୁଡ଼ିକ ପରସ୍ପର ମଧ୍ୟରେ ସମୟାନୁମିକ ହିସାବରେ ଯୋଡ଼ିହେଇ ଏକ ଶୃଙ୍ଖଳ ବା ଚେନ୍‌ ତିଆରି କରନ୍ତି ଏହି ତଥ୍ୟ ଭଣ୍ଡାରକୁ ବ୍ଲକ୍‌ଚେନ୍‌ କୁହାଯାଏ ।
  • ଗୋଟିଏ ନୂତନ କମ୍ପ୍ୟୁଟରକୁ ନୋଡ (ଯେଉଁଥିରେ ମାଇନିଂ ହୁଏ) ହେବାପାଇଁ ଜେନେସିସ ବ୍ଲକ୍‌ ଠାରୁ ଆରମ୍ଭ କରି ନୂଆ ଯୋଡ଼ିହୋଇଥିବା ବ୍ଲକ୍‌ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବ୍ଲକ୍‌ଚେନ୍‌ କୁ ଡାଉନଲୋଡ⏬ କରିବାକୁ ପଡ଼େ । ଏହାକୁ ବୁଟ୍ ଷ୍ଟ୍ରାପିଙ୍ଗ୍ (Bootstraping) କୁହାଯାଇଥାଏ ।

✅ ବ୍ଲକ୍‌ଚେନ୍‌ର ଉପକାରୀତା

⚡️ ଶୀଘ୍ର

fast.jpg

  • ବ୍ଲକ୍‌ଚେନ୍‌ ଆଗରେ ସ୍ଥାନ, କାଳ, ବସ୍ତୁ , ପାତ୍ର ସମସ୍ତେ ସମାନ; ଖାଲି ଦୁଇଟି କାରବାର ଠିକଣା ଥିବା ଦରକାର ।
  • ବ୍ଲକ୍‌ଚେନ୍‌ ଦ୍ୱାରା ଆମେ ଅତି କମ ସମୟରେ ବିନା କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପରେ ଗୋଟିଏ ଠିକଣାରୁ ଆଉ ଗୋଟିଏ ଠିକଣାକୁ କାରବାର କରିପାରିବା ।
  • ଉଦାହରଣ ସ୍ୱରୂପ, ଓଡ଼ିଶାରୁ ଆମେରିକାକୁ ବିଟ୍‍କଏନ୍ ପଠାଇବାକୁ ମାତ୍ର ୧୦ ମିନିଟ ⏰ ଲାଗିଥାଏ ।
  • କିଛି ନୂତନ କ୍ରିପ୍ଟୋକରେନ୍ସିରେ ଆହୁରି ଶୀଘ୍ର⏩ କାରବାର ହୋଇପାରୁଛି ।

🙅🏻‍♂️ ଅପରିବର୍ତ୍ତନୀୟ

Accenture-CEO-Blockchain-Immutability-Must-be-Reconsidered.jpg

  • ବ୍ଲକ୍‌ଚେନ୍‌ରେ ଥରେ ଗୋଟିଏ କାରବାର ଲିପିବଦ୍ଧ ହୋଇଗଲେ, ଏହାକୁ ବଦଳେଇବା ନିହାତି କଷ୍ଟକର କାମ ।
  • ଯେତେ ଯେତେ ନୂଆ ନୂଆ ବ୍ଲକ୍‌ ଯୋଡ଼ି ହୋଇଯାଏ, ଗୋଟିଏ କାରବାରକୁ ପରିବର୍ତ୍ତନ କରିବା ସେତେ କଷ୍ଟ ହୋଇଯାଏ ।
  • ଉଦାହରଣ ସ୍ୱରୂପ ବିଟ୍‍କଏନ୍ ରେ ପାଖାପାଖି ୧୦ ମିନିଟରେ ଗୋଟିଏ ନୂଆ ବ୍ଲକ୍‌ ଯୋଡ଼ି ହୋଇଯାଏ ।

🔑 ସୁରକ୍ଷିତ

safe-913452_640.jpg

  • ବ୍ଲକ୍‌ଚେନ୍‌ SHA-256 ଅତି ସୁରକ୍ଷିତ 🔐 ହ୍ୟାଶ୍ ଆଲଗୋରିଦମ ବ୍ୟବହାର କରି ବ୍ଲକ୍‌ଚେନ୍‌ର ସମସ୍ତ ତଥ୍ୟକୁ ସୁରକ୍ଷିତ ଭାବରେ ରଖିଥାଏ , ତେଣୁ ଏହି ତଥ୍ୟ ସର୍ବସାଧାରଣରେ ସ୍ଵଛ ଭାବରେ ପ୍ରକାଶିତ ହେଲେ ମଧ୍ୟ ସୁରକ୍ଷା ଓ ବ୍ୟକ୍ତିଗତ ଗୋପନୀୟତା ଉପରେ କୌଣସି ଆଞ୍ଚ ଆସିନଥାଏ ।
  • ଏହାଛଡ଼ା ଆବଣ୍ଟିତ ଲେଜର ପ୍ରଯୁକ୍ତି (distributed ledger technology) ବଳରେ ବ୍ଲକ୍‌ଚେନ୍‌ର ତଥ୍ୟର ଗୋଟିଏ ଗୋଟିଏ ନକଲ ମାଇନରମାନଙ୍କ କମ୍ପ୍ୟୁଟରରେ ରହିଥାଏ ତେଣୁ କୌଣସି ଏକ ଅଞ୍ଚଳ କିମ୍ବା ଦେଶରେ କୌଣସି କାରଣରୁ ସମସ୍ତ କମ୍ପ୍ୟୁଟର ବନ୍ଦ ହେଇଗଲେ ମଧ୍ୟ ଏହାର ତଥ୍ୟର ସୁରକ୍ଷାରେ କୌଣସି ବିପଦ ଆସିନଥାଏ ।

☘️ ଦଲାଲ ବିହୀନ

broker.jpg

  • ଏହି ସବୁ ସୁବିଧା ଯୋଗୁଁ ବିନା କୌଣସି ମଧ୍ୟସ୍ଥି କିମ୍ବା ଦଲାଲ ହସ୍ତକ୍ଷେପରେ ଅର୍ଥ ଦେଣନେଣ ବା ଅନ୍ୟ କାରବାର ହେଇପାରେ ।
  • ମୁଖ୍ୟତଃ ବିଦେଶକୁ କିମ୍ବା ବିଦେଶରୁ କାରବାର କରିବାରେ ମଧ୍ୟସ୍ଥି ପାଉଣା💵 ଦେବାକୁ ପଡ଼ିନଥାଏ (ଉଦାହରଣ ସ୍ୱରୂପ ବିଟ୍‍କଏନ୍ ପଠାଇବା ପାଇଁ ୦.୦୦୦୩ % ପାଉଣା ଦେବାକୁ ପଡ଼ିଥାଏ) । ଯେହେତୁ ଗୋଟିଏ ବ୍ଲକ୍‌ ରେ ୨୫୦୦ ପାଖାପାଖି କାରବାର ରହେ ତେଣୁ ଏତେ କମ ମୂଲ୍ୟ ଦେବାକୁ ପଡ଼ିଥାଏ ।

🖐🏼 ଆବଣ୍ଟିତ (distributed)

distributed.png

  • ଯେହେତୁ କେହି କେନ୍ଦ୍ରୀୟ ଅଧିକାରୀ ନଥାନ୍ତି (ୱେବ ୨.୦ ଭଳି) ସମସ୍ତଙ୍କର ସମାନ ସାର୍ବଭୌମତ୍ୱ ରକ୍ଷା ହୋଇଥାଏ, କିଛି ହାତମୁଠା ଲୋକଙ୍କ ଇଛା ଅନୁସାରେ ପରିବର୍ତ୍ତନ କରାନଯାଇ ସର୍ବସାଧାରଣ (ମାଇନର ମାନଙ୍କର) ମତ ବିଚାରକୁ ନିଆଯାଇଥାଏ ।

❗️ ବ୍ଲକ୍‌ଚେନ୍‌ ସମ୍ମୁଖରେ ଥିବା କିଛି ବାଧା

  • ଟେକ୍ନୋଲୋଜି ବା ପ୍ରଯୁକ୍ତି ହେଉଛି ଦୁଇ ଧାର ଖଣ୍ଡା ଭଳି ଯେତେ ଭଲ ସେତେ ଖରାପ, ଭଲକୁ ଗ୍ରହଣ କରି ଖରାପକୁ ଦୁରେଇ ରଖିବା ବୁଦ୍ଧିମତ୍ତାର ପରିଚୟ ।

↓ ପ୍ରଚୁର ଶକ୍ତି ଖର୍ଚ୍ଚ

sparkler-4629347_640.jpg

  • ଉଦାହରଣ ସ୍ୱରୂପ ବିଟ୍‍କଏନ୍ ରେ ଗୋଟିଏ ବ୍ଲକ୍‌ର କାରବାରକୁ ଯାଞ୍ଚ କରିବାପାଇଁ ବିଶ୍ବସାରା ଯେଉଁ କମ୍ପ୍ୟୁଟର (ନୋଡ) ଚାଲେ ସେମାନେ ପ୍ରୁଫ ଅଫ ୱାର୍କ ନାମକ ଏକ ସହମତି (consensus) ବ୍ୟବହାର କରନ୍ତି ।
  • ଏହି ସହମତିରେ ପହଁଚିବା ସମସ୍ତ ମାଇନିଂ ନୋଡକୁ ଜଟିଳ ଗାଣିତିକ ସମସ୍ୟା ସମାଧାନ କରିବାକୁ ପଡ଼େ , ଏଥି ପାଇଁ ବହୁତ ଶକ୍ତିଶାଳୀ ଜିପିୟୁ କମ୍ପ୍ୟୁଟର ଆବଶ୍ୟକ ହୁଏ । ଏହି ସବୁ କମ୍ପ୍ୟୁଟର ବହୁତ ବିଦ୍ୟୁତ ଶକ୍ତି ଏବଂ ସମୟ ଅପଚୟ କରିଥାନ୍ତି ।
  • ଏହାକୁ ଦୃଷ୍ଟିରେ ରଖି ଇଥେରିୟମ ପ୍ରୁଫ ଅଫ ୱାର୍କ ଛାଡି ପ୍ରୁଫ ଅଫ ଷ୍ଟେକ ଆପଣେଇବାକୁ ଚେଷ୍ଟା କରୁଛି ।

↗️ ବର୍ଦ୍ଧନଶୀଳତା ଅସୁବିଧା

giant-1013693_640.jpg

  • ଯେହେତୁ ବହୁତ ଗୁଡିଏ ନୋଡ ବିଭିନ୍ନ ସ୍ଥାନରେ ରହିଛି ଏବଂ ସମସ୍ତ ନୋଡକୁ ବହୁତ ଶକ୍ତିଶାଳୀ କମ୍ପ୍ୟୁଟର ଆବଶ୍ୟକ ଏତେଗୁଡ଼ିଏ କାରବାରକୁ ସବୁ ଯାଞ୍ଚ କରିବା ସମୟସାପେକ୍ଷ । ଯେତେଯେତେ ଅଧିକ ଲୋକ ବ୍ଲକ୍‌ଚେନ୍‌ ବ୍ୟବହାର କରିବେ କାରବାର ସମ୍ପୂର୍ଣ୍ଣ ହେବା ସମୟ ସେତେ ଡେରି ଲାଗିପାରେ ।
  • ଉଦାହରଣ ସ୍ୱରୂପ VISA ପ୍ରତି ସେକେଣ୍ଡକୁ ୧୭୦୦ କାରବାର କଲାବେଳେ ବିଟ୍‍କଏନ୍ ସେକେଣ୍ଡକୁ ମାତ୍ର ୪.୬ଟି କରିଥାଏ ।
  • ହେଲେ ଏହାର ପ୍ରତିକାର ପାଇଁ ଅନେକ ଗୁଡ଼ିଏ ଦ୍ୱିତୀୟ ଲେୟାର କ୍ରିପ୍ଟୋକରେନ୍ସି ଯଥା ପଲିଗନ୍ , ସୋଲାନା ଇତ୍ୟାଦି କାମ କରୁଛନ୍ତି ।

📖 ଶବ୍ଦକୋଷ

  • ୱେବ ୧.୦/ୱେବ ୨.୦/ୱେବ ୩.୦: ଇଣ୍ଟରନେଟରେ ଥିବା ୱେବସାଇଟକୁ ସଂକ୍ଷେପରେ ୱେବ କୁହାଯାଏ । ୱେବସାଇଟର ବିବର୍ତ୍ତନକୁ ନେଇ ଏହାକୁ ତିନୋଟି ସଂସ୍କରଣରେ ନାମିତ କରାଯାଇଛି: ୱେବ ୧.୦ (୧୯୯୧-୨୦୦୪ ମସିହା), ୱେବ ୨.୦ (୨୦୦୪-ବର୍ତ୍ତମାନ) ଏବଂ ୱେବ ୩.୦ ।
  • ମେଟାଭର୍ସ, ଏନଏଫଟି, ଡାପ୍ସ: ଏହିସବୁ ହେଉଛି ନୂଆ ନୂଆ ପ୍ରଯୁକ୍ତି ଯାହା ୱେବ ୩.୦ ତିଆରି କରିବାରେ ସହାୟକ ହେଉଛି ।
  • ଏନଏଫଟି : ବର୍ତ୍ତମାନ ଲୋକେ ଛବି, ସଂଗୀତ ଇତ୍ୟାଦି ଏନଏଫଟି ଇଣ୍ଟରନେଟରେ କିଣାବିକି କରି ମେଟାଭର୍ସରେ ଉପଯୋଗ କରୁଛନ୍ତି । ଓପନସି ଏକ ଲୋକପ୍ରିୟ ଏନଏଫଟି କିଣାବିକା ବଜାର ।
  • ମେଟାଭର୍ସ : ମେଟାଭର୍ସ ହେଉଛି ଏକ କାଳ୍ପନିକ ଦୁନିଆ । ଯେଉଁଠାରେ ଲୋକମାନେ ନିଜସ୍ୱ ଅବତାର ବାଛି ନିଜକୁ ସେଠାକାର ତିନି ଆୟାମ (3D) ପରିବେଶରେ ଅନୁଭବ କରୁଛନ୍ତି ।

    ଧରନ୍ତୁ ଗୋଟିଏ ରେଫ୍ରିଜରେଟର କିଣିବାକୁ ଆପଣ ଇଚ୍ଛାକଲେ। ଘରେ ବସି ଅନଲାଇନରେ ଭିନ୍ନ ଭିନ୍ନ ପ୍ରକାରର ନମୁନା ଦେଖିଲା ପରେ ବି କଣ କିଣିବେ ନିଶ୍ଚିତ ହୋଇ ପାରିଲେନି। ମେଟାଭର୍ସରେ ଏଇ ଅନଲାଇନର ସୀମାବଦ୍ଧତା ରହିବନି। କମ୍ପ୍ୟୁଟର ସହ ସଂଯୁକ୍ତ ଗୋଟିଏ ଚଷମା ପିନ୍ଧି (୩ ଡି ସିନେମା ଦେଖିବା ସମୟରେ ବ୍ୟବହାର କଲା ଭଳି) ଆପଣ ସିଧା ଚାଲିଯିବେ ଅଭିଳଷିତ ଦୋକାନକୁ। ବିଶେଷ ଡିଜିଟାଲର ପ୍ରୟୋଗରେ ବାସ୍ତବ ଦୁନିଆ ଭଳି ଆପଣ ତାକୁ ସହଜରେ ସ୍ପର୍ଶ ଅନୁଭୂତିରେ ଆଣି ପସନ୍ଦ ମୁତାବକ ମଡେଲ ଡିଜିଟାଲ ଟଙ୍କା (କରେନ୍ସି) ଦେଇ କିଣି ପାରିବେ। - ଗିରିଜା ଶଙ୍କର ମିଶ୍ର

  • ଡାପ୍ସ: ବ୍ଲକ୍‌ଚେନ୍‌ ଉପଯୋଗ କରି ତାହା ଉପରେ ଯେଉଁ ଆପ ତିଆରି ହୋଇଥାଏ ତାହାକୁ ବେକେନ୍ଦ୍ରିତ ଆପ ବା ଡିସେଣ୍ଟ୍ରାଲାଇଜ୍ଡ ଆପ ବା ଡାପ୍ସ କୁହାଯାଉଛି ।

  • ଆମାଜନ ୱେବ ସର୍ଭିସେସ(AWS): ବିଶ୍ବର ୯୦ ଲକ୍ଷରୁ ଅଧିକ ୱେବସାଇଟ AWS ଦ୍ୱାରା ପରିଚାଳିତ ଡାଟାବେସରୁ ତଥ୍ୟ ନିଅନ୍ତି ।

🖇 ଆଧାର

ବ୍ଲକ୍‌ଚେନ୍‌ କଥା ପଡ଼ିଲେ ଆପଣ ଯଦି କିଛି ମନେପକେଇ କହିପାରିବେ ମୋର ଶ୍ରମ ସାର୍ଥକ ହେଲା ବୋଲି ବିଶ୍ୱାସ କରିବି । ଆଗ ଲେଖାଗୁଡ଼ିକ ଜାଣିବାପାଇଁ ଏବଂ କୌଣସି ସନ୍ଦେହ ଥିଲେ ପଚାରିବା ପାଇଁ ମତେ ଟ୍ୱିଟରରେ ଅନୁସରଣ କରନ୍ତୁ:

🙏🏼 ଜୟ ଜଗନ୍ନାଥ 🙏🏼


ଯଦି ଆପଣଙ୍କୁ ଏହି ଲେଖାଟି ଭଲ ଲାଗିଛି ନିମ୍ନୋକ୍ତ ପଂକ୍ତି ଉପଯୋଗ କରି ଲିଙ୍କ କରନ୍ତୁ:

@inproceedings{Blockchain,
    author       = {Soumendra Kumar Sahoo},
    title        = {Blockchain by Soumendra Kumar Sahoo},
    howpublished = {\url{https://blog.soumendrak.com/blockchain}},
    year         = {2022}
}

Let me know what you think at any of the following places: